ଖଣ୍ଡିଏ ଭୋଟ୍ର ମୂଲ୍ୟ ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା ପାଇଁ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେଇ ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ଼ ନିଦରେ ଶୋଇ ପଡ଼ିଥିବା ଜନତା କଡ଼ ଲେଉଟାଇଲେଣି ପୁଣି ଥରେ ଭୋଟ କେନ୍ଦ୍ର ଧାଡ଼ିରେ ଛିଡ଼ା ହେବା ପାଇଁ। ରାଲି, ରୋଡ୍ ଶୋ, ସାଧାରଣ ସଭା ସାଙ୍ଗକୁ ଘରକୁ ଘର ବୁଲି ନିଜ ପ୍ରାର୍ଥିତ୍ୱ ସପକ୍ଷରେ ପ୍ରଚାର କରୁଥିବା ପ୍ରାର୍ଥୀଙ୍କ ବିନମ୍ର ପ୍ରଣାମରେ ବୈଶାଖର ପ୍ରଚଣ୍ଡ ରୌଦ୍ରତାପ ବି ଭିଜିଗଲାଣି ଏକ ଅଭିନବ ପ୍ରତିବେଦନରେ। କାଣି କଉଡ଼ିରେ ତଉଲା ହେଉ ନ ଥିବା ଭୋଟର ବାପୁଡ଼ା ନିଜ ବହୁମୂଲ୍ୟ ଭୋଟଖଣ୍ଡକ ପାଇଁ ନିଜକୁ ମହାରାଜା ମଣିଲେଣି। ଏଇ ନିର୍ବାଚନ ପ୍ରଥମ ନିର୍ବାଚନ ନୁହେଁ। ଆମ ଦେଶ ସ୍ବାଧୀନତା ଲାଭ କଲାପରଠୁ ଏମିତି କେତେ ନିର୍ବାଚନ ଆସିଛି ଓ ଯାଇଛି। ରାଜନୀତିରେ ରୁଚି ରଖୁଥିବା ଓ ନିର୍ବାଚନ ଜରିଆରେ ନିଜ ନେତୃତ୍ୱ ନିର୍ମାଣ କରୁଥିବା ଅଳ୍ପ କେଇଜଣଙ୍କୁ ଛାଡ଼ିଦେଲେ ବାକି ଲୋକଙ୍କ ପାଇଁ ଏହା ଯେମିତି ମହତ୍ତ୍ୱହୀନ, ସେମିତି ଅନୁଭବଶୂନ୍ୟ। ବାସ୍, କେବଳ ଏକ ରୁଟିନବନ୍ଧା ନାଗରିକ ଅଧିକାର, ଯାହା ପାଞ୍ଚବର୍ଷରେ ଥରେ ଆସେ ଓ ରାମରାଜ୍ୟ, ଗରିବୀ ହଟାଅ ଓ ମହିଳା ସଶକ୍ତୀକରଣ ଆଦି ଶ୍ରୁତିମଧୁର ସ୍ଲୋଗାନର କୋଳାହଳ ମଧ୍ୟରେ ଗୁଞ୍ଜରିତ ହୋଇ ପୁଣି